ଓଡ଼ିଶା

ଜେଲ୍‌ ଗଲେ ଡେପୁଟି ରେଞ୍ଜର: ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ

Advertisement

ଜୟପୁର: ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ। ଘରେ ଥିବା ଗୁପ୍ତ ଟ୍ରେଜେରୀରେ ରଖିଥିଲେ ବିଡ଼ା ବିଡ଼ା ନୋଟ୍। ବ୍ୟାଙ୍କରେ ମଧ୍ୟ କିଛି କମ୍‌ ନଥିଲା। ନିଜ ନାଁ ସମେତ ପୁଅ ଓ ପତ୍ନୀଙ୍କ ନାମରେ ଏକାଧିକ ବ୍ୟାଙ୍କରେ ରହିଛି ଲକ୍ଷାଧିକ ଟଙ୍କା। ଯାହାର ହିସାବ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ନିକଟରେ ନାହିଁ। ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ବେନାମି ସମ୍ପତ୍ତିର  ଖୋଳତାଡ଼ କରିବା ପରେ ଆୟର ସୂତ୍ର ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ନେପାକ। ଫଳରେ ତାଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି।

ଆୟଠାରୁ  ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ 
ସ୍ତ୍ରୀ ଓ ପୁଅ ନାମରେ ମାମଲା ରୁଜୁ କଲା ଭିଜିଲାନ୍ସ
ସମସ୍ତ ପ୍ରକଳ୍ପର ହେବ ଖୋଳତାଡ଼

Advertisement

ତଦନ୍ତ ସମୟରେ ଡେପୁଟି ରେଞ୍ଜରଙ୍କ ସ୍ତ୍ରୀ ସିପ୍ରା ନେପାକଙ୍କ ନାମରେ ଜୟପୁର ସହରର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଓବି, ଏକ୍ସିସ, ଏଚ୍‌ଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କରେ ୭୩ ଲକ୍ଷ ଟଙ୍କା ଜମା ଥିବା ଜଣାପଡ଼ିଛି। ସେହିପରି ପୁଅ ଅଭିଷେକ ନେପାକଙ୍କ ନାଁରେ ମଧ୍ୟ ୫ଟି ବ୍ୟାଙ୍କ ଆକାଉଣ୍ଟ ଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ବ୍ୟାଙ୍କ ଖାତାରେ ପୁଅ ନାଁରେ ୧୫ ଲକ୍ଷ ଟଙ୍କାର ଜମା ରାଶି ସହିତ ୫ଟି ସ୍ଥାୟୀ ଜମା ବାବଦରେ ୧୭ ଲକ୍ଷ ଟଙ୍କା ଥିବା ଭିଜିଲାନ୍ସ ଟିମ୍‌ ପ୍ରମାଣ ପାଇଛି। ପୁଅ ଅଭିଷେକ ଲିଗାଲ୍‌ କନସଲଣ୍ଟାନ୍ସ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ସିପ୍ରା ଗୃହିଣୀ ଅଟନ୍ତି। ଅଥଚ ଉଭୟଙ୍କ ଆକାଉଣ୍ଟରେ ଲକ୍ଷଲକ୍ଷ ଟଙ୍କାର ଜମା ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ଆୟରୁ ଅଧିକ ୫୦୧ ପ୍ରତିଶତ ସମ୍ପତ୍ତି ନେପାକ କେଉଁଠୁ ଆଣିଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ନେପାକ ଫରେଷ୍ଟର ଏବଂ ଡେପୁଟି ରେଞ୍ଜର ଭାବେ କାମ କରିଥିବା ସମସ୍ତ ସ୍ଥାନରେ ବନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପର ଯାଞ୍ଚ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏସ୍‌ପି ରବୀନ୍ଦ୍ର କୁମାର ପଣ୍ଡା। ବନୀକରଣ, କାଠ ଚୋରାଚାଲାଣ, ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ ଓ ମରାମତି ବାବଦରେ ସିଂହଭାଗ ଅର୍ଥ ବାଟମାରଣା ହୋଇଥିବା ଭିଜିଲାନ୍ସ ଟିମ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ଭିଜିଲାନ୍ସ ନେପାକଙ୍କ ଘରୁ ୧ କୋଟି ୪୩ ଲକ୍ଷ ନଗଦ ଟଙ୍କା ଜବତ କରିଛି। ସେହିପରି ବ୍ୟାଙ୍କ ଜମା ୧ କୋଟି ୩୨ ଲକ୍ଷ, ଦେଢ଼ କେଜି ସୁନା, ୪ କେଜି ୬୦୦ ଗ୍ରାମ ରୁପା, ଜୟପୁରରେ ୩ ମହଲା କୋଠା, ୨ଟି ଫ୍ଲାଟ୍‌, ୨ଟି ପ୍ଲଟ, ଭୁବନେଶ୍ବରରେ ଗୋଟିଏ ଫ୍ଲାଟ୍‌, ୨ଟି ଚାରି ଚକିଆ ଓ ୩ଟି ବାଇକ୍ ଠାବ କରିଛି

Advertisement

Leave a Reply

Your email address will not be published. Required fields are marked *