ଅନ୍ତର୍ଜାତୀୟ

ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚାହୁଛନ୍ତି ଭାରତ ଓ ଚୀନ୍: କାନାଡା ଏଜେନ୍ସି

Advertisement

ଅଟାୱା: କାନାଡାର ଗୁପ୍ତଚର ଏଜେନ୍ସି   ଦାବି କରିଛି ଯେ ଆସନ୍ତା ଏପ୍ରିଲ ୨୮ରେ ହେବାକୁ ଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ଓ ଚୀନ୍ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିପାରନ୍ତି ଏବଂ ରୁଷ୍ ଓ ପାକିସ୍ତାନ ମଧ୍ୟ ଏହା କରିବାର ସମ୍ଭାବନା ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାରେ ଭାରତର ସମ୍ପୃକ୍ତି ଅଭିଯୋଗ ସହିତ ଭାରତବିରୋଧୀ ତତ୍ତ୍ୱ ଓ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାନାଡାର ନିଷ୍କ୍ରିୟତା କାରଣରୁ ନୂଆଦିଲ୍ଲୀ ସହ ଅଟାୱାର ସମ୍ପର୍କ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଥିବା ବେଳେ କାନାଡା ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍ଆଇଏସ୍) ଏହି ମନ୍ତବ୍ୟ ଦେଇଛି। ଭାରତ ପୂର୍ବରୁ ସମାନ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଚୀନ୍ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲା।

କାନାଡା ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସର ଡେପୁଟି ଡାଇରେକ୍ଟର ଭାନେସା ଲଏଡ୍ କହିଛନ୍ତି ଯେ, ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ ଶତ୍ରୁ ରାଷ୍ଟ୍ରନେତାମାନେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ କରୁଛନ୍ତି। ଚଳିତ ନିର୍ବାଚନରେ କାନାଡାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ପାଇଁ ପିଆର୍‌ସି (ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା) ଏଆଇ-ସମର୍ଥିତ ଉପକରଣ ବ୍ୟବହାର କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଆହୁରି କହିଛନ୍ତି, କାନାଡାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଭାରତ ସରକାରଙ୍କ ଉଦ୍ଦେଶ୍ୟ ଓ ସାମର୍ଥ୍ୟ ରହିଛି। ଜାନୁଆରିରେ ପ୍ରକାଶିତ ଏକ ସରକାରୀ ତଦନ୍ତ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୧୯ ଓ ୨୦୨୧ ନିର୍ବାଚନ ସମୟରେ ମଧ୍ୟ ଚୀନ୍ ଓ ଭାରତ ହସ୍ତକ୍ଷେପ ପାଇଁ ପ୍ରୟାସ କରିଥିଲେ, ଯଦିଚ ଏହି ହସ୍ତକ୍ଷେପ ଫଳାଫଳକୁ ବିଶେଷ ପ୍ରଭାବିତ କରି ନ ଥିଲା। କାନାଡାର ଏହି ଅଭିଯୋଗ ଉପରେ ଚୀନ୍ ଓ ଭାରତୀୟ କୂଟନୈତିକ ଦୂତାବାସ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।   

Advertisement
Advertisement

Leave a Reply

Your email address will not be published. Required fields are marked *