କ୍ରିଡା

ଚେପକ୍‌ରେ ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦

Advertisement

ଚେନ୍ନାଇ: ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଶନିବାର ‌ସ୍ଥାନୀୟ ଚେପକ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଦୁଇ ଦିନ ତଳେ କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ୭ ୱିକେଟ୍‌ରେ ସହଜ ବିଜୟ ହାସଲ କରିଥିବା ଭାରତୀୟ ଦଳ ୨-୦ରେ ଅଗ୍ରଣୀ ଆଶାରେ ରହିଛି। 
ଏବେ ବି ଭାରତୀୟ ଦଳ ମହମ୍ମଦ ସାମିଙ୍କ ଫିଟ୍‌ନେସ୍‌କୁ ନେଇ ନିଶ୍ଚିତ ନଥିବାରୁ ଶନିବାର ମ୍ୟାଚ୍‌ ମଧ୍ୟ ତାଙ୍କ ଖେଳିବା ନଖେଳିବାକୁ ଆଶଙ୍କା ଭିତରେ ରଖିଛି। ଅବଶ୍ୟ ସାମିଙ୍କ ଅନୁପସ୍ଥିତିକୁ ଭାରତ ଇଡେନ୍ ଗାର୍ଡେନ୍ସରେ ଅନୁଭବ କରି ନଥିଲା। ଅର୍ଶଦୀପ ସିଂହ ତାଙ୍କ ପ୍ରଥମ ୧୧ ବଲ୍ ଭିତରେ ୨ ୱିକେଟ୍ ଦଖଲ କରି ଭାରତକୁ ପ୍ରଥମରୁ ଫାଇଦାରେ ରଖିଥିଲେ।  ବୋଲିଂ ବାହିନୀର ଅବଶିଷ୍ଟ କାର୍ଯ୍ୟକୁ ବରୁଣ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ‌ସ୍ପିନ୍ ବିଭାଗ ସମ୍ଭାଳି ନେଇଥିଲେ। ଉପଅଧିନାୟକ ଅକ୍ଷର ପଟେଲ ଓ ରବି ବିଷ୍ଣୋଇଙ୍କୁ ନେଇ ଭାରତର ସ୍ପିନ୍ ବୋଲିଂ ବିବିଧତା ଇଂଲଣ୍ଡକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ସାମି ଖେଳିବାକୁ ସମ୍ପୂର୍ଣ୍ଣ ଫିଟ୍‌ ରହିଲେ ନୀତୀଶ କୁମାର ରେଡ୍ଡୀଙ୍କ ସ୍ଥାନ ନେଇପାରନ୍ତି। ସଂଜୁ ସାମସନ୍‌ଙ୍କ ପ୍ରାରମ୍ଭିକ ଆକ୍ରମଣ ପରେ ଅଭିଷେକ ଶର୍ମାଙ୍କ ୩୪ ବଲ୍‌ ୭୯ ରନ୍ ବଳରେ ଭାରତ ୧୩୨ ରନ୍ ଲକ୍ଷ୍ୟକୁ ଅତି ସହଜରେ ଅତିକ୍ରମ କରିନେଇଥିଲା। ବିଶ୍ବକପ୍‌ ବିଜୟ ପରଠାରୁ ସଂଜୁ ସାମସନ୍‌ ଓ ଅଭିଷେକ ଶର୍ମାଙ୍କ ସଫଳତା ବି ଭାରତର ନୂଆ ପିଢ଼ିର କ୍ରିକେଟ୍‌ରଙ୍କ ହାତରେ ସୁରକ୍ଷିତ ଥିବା ମନେ ହେଉଛି।

ସାମସନ୍‌ ଗତ ୬ ପାଳିରୁ ୩ ଶତକ ମାରିଥିବାରୁ ଚେପକ୍‌ ପ୍ରଶଂସକ ବି ଏଭଳି ଏକ ମନୋରଂଜନ ଭରା ପାଳି ଦେଖିବାକୁ ଆଶ କରିଛନ୍ତି। ଆସନ୍ତାବର୍ଷ ଘରୋଇ ମାଟିରେ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ସଂଜୁ-ଅଭିଷେକଙ୍କ ଯୋଡ଼ି ନିଶ୍ଚିତ ପାଳି ଆରମ୍ଭର ଦାୟିତ୍ବ ନେବେ ବୋଲି ବିଶ୍ବାସ କରାଯାଉଛି। ଭାରତ ପାଇଁ କିନ୍ତୁ ବଡ଼ ଚିନ୍ତା ହେଉଛି ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ଫର୍ମକୁ ନେଇ ସାମାନ୍ୟ ଚିନ୍ତାରେ ରହିଛି। ବିଶ୍ବକପ୍‌ ବିଜୟ ପରଠାରୁ ଏହି ୩୬୦ ଡିଗ୍ରି ବ୍ୟାଟର୍‌ ୧୧ ପାଳିରୁ ମାତ୍ର ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisement

ଅନ୍ୟପକ୍ଷରେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ପ୍ରଭାବ ପକାଇ ପାରି ନଥିଲେ। ଆଦିଲ ରସିଦ୍‌ ଓ ଲିଆମ୍ ଲିଭିଂଷ୍ଟୋନ୍‌ଙ୍କଠାରୁ ଅଧିକ ଉନ୍ନତ ପ୍ରଦର୍ଶନ ଦଳ ଆଶା ରଖିଛି। ବ୍ୟାଟିଂରେ ଜୋସ୍ ବଟଲର ଏକା ଲଢ଼ିଥିଲେ ମଧ୍ୟ ଅନ୍ୟ କେହି ସମର୍ଥନ ରଖି ନଥିଲେ। ମାତ୍ର ଗୋଟିଏ ମ୍ୟାଚ୍‌ ଯାଇଥିବାରୁ ଭାରତ ପରିବର୍ତ୍ତନ କରିବା ସପକ୍ଷରେ ନାହିଁ। ଇଂଲଣ୍ଡ କିନ୍ତୁ ଏକାଧିକ ପରିବର୍ତ୍ତନର ଆଭାସ ଦେଇଛି। ଚେପକ୍‌ ପିଚ୍‌କୁ ନଜରରେ ରଖି ଇଂଲଣ୍ଡ ଅତିରିକ୍ତ ସ୍ପିନର୍‌ ଭାବେ ଯୁବ ଲେଗ୍‌ସ୍ପିନର୍‌ ରେହାନ୍ ଅହମ୍ମଦଙ୍କୁ ସାମିଲ କରିପାରେ। ଗସ୍‌ ଆଟ‌୍‌କିନ୍‌ସନ୍‌ଙ୍କ ବଦଳରେ ବିକଳ୍ପ ପେସର୍‌ ବ୍ରାଏଡନ୍‌ କାର୍ସ ଖେଳିପାରନ୍ତି। ଇଡେନ୍‌ରେ ଖେଳିଥିବା ଜ୍ୟାକବ୍ ବେଥେଲ୍ ସୁସ୍ଥ ନଥିବାରୁ ତାଙ୍କ ବଦଳରେ ୱିକେଟରକ୍ଷକ ଜାମି ସ୍ମିଥ୍‌ଙ୍କୁ ନେବା ଯୋଜନା ରହିଛି।

ଚେପକ୍‌ର କଳା ମାଟିର ପିଚ୍‌ ସ୍ପିନରଙ୍କୁ ନିଶ୍ଚିତ ସୁହାଇବ। କାକର ନିଶ୍ଚିତ ପଶ୍ଚାତ୍‌ଧାବନ କରୁଥିବା ଦଳକୁ ସହାୟକ ହେବ। ସେହି ଦୃଷ୍ଟିରୁ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବା ସ୍ବାଭାବିକ ନିଷ୍ପତ୍ତି ରହିବ ଏବଂ ଏଥିରୁ ଫାଇଦା ମିଳିବ। ଇଡେନ୍‌ରେ ୨ ୱିକେଟ୍ ଅକ୍ତିଆର କରିବା ସହ ଦେଶର ଅଗ୍ରଣୀ ଟ୍ବେଣ୍ଟି-୨୦ ବୋଲର ହୋଇଥିବା ଅର୍ଶଦୀପ ସିଂହ ଆଉ ୩ ୱିକେଟ୍‌ ପାଇଲେ ୧୦୦ ପୂର୍ଣ୍ଣ କରିବେ। ଶନିବାର ସେ ଏହି ଲକ୍ଷ୍ୟରେ ପହଞ୍ଚିପାରିଲେ ବିଶ୍ବର ଦ୍ରୁତତମ ଦ୍ରୁତ ବୋଲର୍ ହେବେ। ମୋଟ ଉପରେ କିନ୍ତୁ ରସିଦ୍ ଖାନ୍‌ ଓ ସନ୍ଦୀପ ଲାମିଚାନଙ୍କ ପରେ ତୃତୀୟ ଦ୍ରୁତତମ ହେବେ। ୨୦୨୪ ଆଇପିଏଲ୍‌ ଆରମ୍ଭ ଦିନଠାରୁ ପାୱାର ପ୍ଲେ ଭିତରେ ଅଭିଷେକ ଶର୍ମାଙ୍କ ଷ୍ଟ୍ରାଇକ୍ ରେଟ୍‌ ହେଉଛି ୧୯୧.୭୧। ଏହି ସମୟରେ କେବଳ ସନ୍‌ରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍ ହେଡ୍‌ଙ୍କ ଷ୍ଟ୍ରାଇକ୍ ରେଟ୍ (୧୯୫.୭୧) ଆଗରେ ରହିଛି। ଭାରତରେ ଭାରତ ବିପକ୍ଷରେ ଇଂଲଣ୍ଡ ମୋଟ ୧୨ ଟ୍ବେଣ୍ଟି-୨୦ ଖେଳିଛି। ୫ ଜିତି ୭ ହାରିଛି। କିନ୍ତୁ ଶେଷ ୩ଟିରେ କ୍ରମାଗତ ହାରିଛି।

ଭାରତୀୟ ଦଳ (ସମ୍ଭାବ୍ୟ): ଅଭିଷେକ ଶର୍ମା, ସଂଜୁ ସାମସନ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପଅଧିନାୟକ), ରବି ବିଷ୍ଣୋଇ/ମହମ୍ମଦ ସାମି, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡ ଦଳ (ସମ୍ଭାବ୍ୟ): ଫିଲ୍ ସଲ୍ଟ (ୱିକେଟରକ୍ଷକ), ବେନ୍‌ ‌ଡକେଟ୍‌, ଜୋସ୍ ବଟଲର୍ (ଅଧିନାୟକ), ହାରି ବ୍ରୁକ୍‌, ଲିଆମ୍ ଲିଭିଂଷ୍ଟୋନ୍‌, ଜ୍ୟାକବ୍‌ ବେଥେଲ/ଜାମି ସ୍ମିଥ୍‌, ଜାମି ଓଭରଟନ୍‌, ବ୍ରାଏଡନ୍ କାର୍ସ, ‌ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍‌, ମାର୍କ ଉଡ୍‌।

Advertisement

Leave a Reply

Your email address will not be published. Required fields are marked *