ଅପରାଧ ଓଡ଼ିଶା

ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରି: ଉଲଗ୍ନ ହେବାକୁ କହିବାରୁ ବିଷ ପିଇଦେଲେ

Advertisement

ଚଣ୍ଡିଖୋଲ: ଯାଜପୁରଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଅଟକ ଥିବା ଅଣକା ପଞ୍ଚାୟତ ମହିପୁର ଗାଁର ଜଣେ ଯୁବକଙ୍କୁ ପୁଲିସ ଥାନା ଭିତରେ ଥାର୍ଡ ଡିଗ୍ରି ଦେଇଥିବା ଅଭିଯୋଗ ହୋଇଛି। ଏକ ଘରୋଇ କଳିକୁ ନେଇ ଅଟକ ଥିବା ଯୁବକଙ୍କୁ ଥାନା ହାଜତ ଭିତରେ ଉଲଗ୍ନ ହେବାକୁ ବାଧ୍ୟ କରାଯିବା ଓ ଅତ୍ୟାଚାର ପରେ ସେ ବିଷ ପିଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୁରୁତର ଅସୁସ୍ଥ ଥିବା ଅଭିଯୁକ୍ତ ଯୁବକ ରବୀନ୍ଦ୍ର ମଲ୍ଲିକ (୨୮) ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏ ପର୍ଯ୍ୟନ୍ତ ସୁଧାର ଆସିନାହିଁ। ଘଟଣା ସଂପର୍କରେ ରବୀନ୍ଦ୍ର ନିଜେ ମୁହଁ ଖୋଲି କହିଥିବା ବେଳେ ଥାନା ଅଧିକାରୀ ଏଥିରେ ସତ୍ୟତା ନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ତେବେ ପୁଲିସ ରବୀନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପୂର୍ବରୁ ପରିବାର ଲୋକଙ୍କୁ ସୂଚନା ଦେଇନଥିଲା। ଏପରିକି ତିନିଦିନ ପରେ ଘର ଲୋକ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ପୁଲିସ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବାରୁ ସନ୍ଦେହ ସୃଷ୍ଟି ହୋଇଛି।

ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି
୩ ଦିନ ପରେ ପରିବାର ଲୋକଙ୍କୁ ଜଣାଇଲା ପୁଲିସ

Advertisement

ସୂଚନା ଅନୁସାରେ, ଗାଁର ରମେଶ ମଲ୍ଲିକଙ୍କ ପୁଅ ବାଦଲ ଗତ ୩ ତାରିଖରେ ଦିବ୍ୟାଙ୍ଗ ଦାଦା ମହେଶ୍ୱର ଓ ତାଙ୍କ ଘରକୁ ଆସିଥିବା ଜଣେ ପଡ଼ୋଶୀ ମହିଳା ନମିତା ମଲ୍ଲିକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥିଲେ। ଏହି ଘଟଣାରେ ମହେଶ୍ୱରଙ୍କ ପୁଅ ରବୀନ୍ଦ୍ର ବାପାଙ୍କୁ ରକ୍ଷା କରିବାକୁ ଯାଇ ବାଦଲଙ୍କ ଉପରେ ଗରମ ପେଜ ଢାଳି ଦେଇଥିଲେ। ଏ ନେଇ ବାଦଲ ରବୀନ୍ଦ୍ରଙ୍କ ବି‌ରୋଧରେ ଥାନାରେ ଅଭିଯୋଗ କରିଥିଲେ। ପରେ ରବୀନ୍ଦ୍ର ନମିତା ମଲ୍ଲିକଙ୍କୁ ସାଥୀରେ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ପୁଲିସ ରବୀନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଆଉ ଛାଡ଼ିନଥିଲା। ଗତ ୪ ତାରିଖରେ ରବୀନ୍ଦ୍ରଙ୍କୁ ଦେଖିବା ପାଇଁ ତାଙ୍କ ପରିବାର ଥାନାକୁ ଆସିଥିଲେ। ମାତ୍ର ପୁଲିସ ସେମାନଙ୍କୁ ଭେଟ କରିବାକୁ ଦେଇନଥିଲା। ଘଟଣାର ତିନି ଦିନ ପରେ ଆଜି ପୁଲିସ ପରିବାର ଲୋକଙ୍କୁ ରବୀନ୍ଦ୍ର କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ଦେଇଥିଲା। ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ପରେ ଘଟଣା ସଂପର୍କରେ ଅବଗତ ହୋଇଥିଲେ।

ଏ ସଂପର୍କରେ ଅସୁସ୍ଥ ରବୀନ୍ଦ୍ର ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁସାରେ, ହାଜତ ଭିତରେ ପୁଲିସ ତାଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରି ପ୍ରବଳ ମାଡ଼ ମାରିଥିଲା। ପୁଲିସର ଏ ପ୍ରକାର ଅତ୍ୟାଚାର ଯୋଗୁଁ ହାଜତ ଭିତରେ ଥିବା ଏକ ବିଷ ବୋତଲକୁ ଖୋଲି ସେ ପିଇଦେଇଥିଲେ। ହାଜତ ଭିତରେ ବିଷ ବୋତଲ କେଉଁଠୁ ଆସିଲା ପଚାରିବାରୁ, ଜଣେ ପୁଲିସ କର୍ମଚାରୀ ବିଷ ବୋତଲ ଆଣି ହାଜତ ଭିତରେ ରଖିଥିଲେ ବୋଲି ରବୀନ୍ଦ୍ର କହିଛନ୍ତି। ଏପରିକି ସେ ବିଷ ପିଉଥିବା ଦେଖି ପୁଲିସ କର୍ମଚାରୀ ତାଙ୍କୁ ଅଟକାଇ ନଥିଲେ। ଘଟଣା ସଂପର୍କରେ ଥାନା ଅଧିକାରୀ ସମରଜିତ ନାୟକଙ୍କ କହିବା କଥା, ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକ କରୁଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ।

Advertisement

Leave a Reply

Your email address will not be published. Required fields are marked *