ଅପରାଧ ଓଡ଼ିଶା

ଭଲ ପାଇ ବିବାହ କରିଥିଲେ ମହିଳା, ଯୌତୁକ ମିଳିଲାନି ବୋଲି ୯ବର୍ଷ ପରେ ମାରିଦେଲେ ଶାଶୂଘର ଲୋକେ

Advertisement

ଭୁବନେଶ୍ୱର: ଯୌତୁକ ନେବା ବା ଦେବା ଅପରାଧ ବୋଲି ସରକାର ଘୋଷଣା କରିସାରିଛନ୍ତି। ଏଥିପାଇଁ ଦଣ୍ଡବିଧାନ ବି ରହିଛି। ହେଲେ ‌ଆଜି ବି ଦେଶର ବିଭିନ୍ନ କୋଣରେ ଯୌତୁକ ପ୍ରଥା ରହିଛି। କିଏ ଖୁସିରେ ଦେଉଛି ତ କାହାକୁ ଯୌତୁକ ଦେବା ପାଇଁ ଘର ବାଡ଼ି ବନ୍ଧା ପକାଇବାକୁ ପଡ଼ୁଛି। ଅତୀତରେ ଏଥିପାଇଁ ଅନେକ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ବିବାହର ୯ବର୍ଷ ପରେ ଏଭଳି ଘଟଣା ଘଟିଛି। ମୃତକଜଣକ ହେଲେ ରଶ୍ମିତା ସ୍ୱାଇଁ।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି I ରଶ୍ମିତା ସ୍ୱାଇଁଙ୍କୁ ଶଶୁର ଘର ଲୋକ ଯୌତୁକ ପାଇଁ ମାରିଦେଇଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ I ୯ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ ରଶ୍ମିତା। ପ୍ରେମ ବିବାହ ହୋଇଥିଲେ ବି ଶଶୁର ଘର ଲୋକଙ୍କ ଯୌତୁକ ଲୋଭ ଯାଉନଥିଲା। ୯ ବର୍ଷ କାଳ ଯୌତୁକ ପାଇଁ ରଶ୍ମିତାଙ୍କ ଘର ଲୋକଙ୍କ ଉପରେ ଚାପ ପକାଉଥିଲେ ଶଶୁର ଘର ଲୋକେ। ଏହା ସହ ବାପଘର ସହ କଥା କରାଇ ନଦେବା ପାଇଁ ଫୋନ ଧରିବାକୁ ମଧ୍ୟ ଦେଉନଥିଲେ। ଏସବୁ ଅତ୍ୟାଚାର ମଧ୍ୟରେ ରଶ୍ମିତା ହସ୍ପିଟାଲରେ ଅଛି ବୋଲି ବାପ ଘର ଲୋକ ଖବର ପାଇ ସେଠାରେ ପହଞ୍ଚିବା ବେଳକୁ ଝିଅ ଆଉ ଏଦୁନିଆରେ ନଥିଲା। ଯୌତୁକ ପାଇଁ ହିଁ ସେମାନେ ଝିଅକୁ ମାରିଥିବା ବାପ ଘର ଲୋକ ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ଶଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ବାପଘର ଲୋକଙ୍କ ଅଭିଯୋଗକ୍ରମେ ଏବେ ମଞ୍ଚେଶ୍ବର ଥାନା ପୁଲିସ ସ୍ବାମୀ ବିଶ୍ବନାଥ ସ୍ବାଇଁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Advertisement
Advertisement

Leave a Reply

Your email address will not be published. Required fields are marked *