ଜାତୀୟ

ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ଏହି ସ୍ଥାନରେ ଅଛି ଭାରତ

Advertisement

ହେନ୍‌ଲେ ପାସ୍‌ପୋର୍ଟ ସୂଚକାଙ୍କ-୨୦୨୫ (କ୍ୱାର୍ଟର ୨)ରେ ଭାରତର ସ୍ଥିତିରେ ଉନ୍ନତି ଘଟିଛି। ଚଳିତ ସୂଚକାଙ୍କରେ ଭାରତ ୮ ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଞ୍ଚିଛି। ୬ ମାସ ତଳେ ହେନ୍‌ଲେ ପକ୍ଷରୁ ଜାରି କରାଯାଇଥିବା ସୂଚକାଙ୍କରେ ଭାରତର ପାସ୍‌ପୋର୍ଟ ୮୫ତମ ସ୍ଥାନରେ ଥିଲା। ଏହି ସୂଚକାଙ୍କ ଅନୁଯାୟୀ, ଭାରତୀୟ ପାସ୍‌ପୋର୍ଟଧାରୀ ବିନା ଭିଜାରେ କିମ୍ବା ଭିଜା ଅନ୍‌ ଆରାଇଭାଲ ସୁବିଧା ସହ ବିଶ୍ୱର ୫୯ ଦେଶକୁ ସମ୍ପ୍ରତି ଭ୍ରମଣ କରିପାରୁଛନ୍ତି। ଗତ ଜାନୁଆରୀରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ପାସ୍‌ପୋର୍ଟଧାରୀ ବିନା ଭିଜାରେ ୫୭ ଦେଶକୁ ଯାତ୍ରା କରିପାରୁଥିଲେ। ଥାଇଲାଣ୍ଡ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭୁଟାନ, ନେପାଳ ଆଦି ପର୍ଯ୍ୟଟନ ବହୁଳ ଦେଶଗୁଡ଼ିକୁ ଭାରତୀୟମାନେ ବିନା ଭିଜାରେ ଯାତାୟାତ କରିପାରୁଥିବା ବେଳେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ୍‌ ପରି ଦେଶକୁ ଯିବା ପାଇଁ ଭାରତୀୟଙ୍କୁ ଭିଜା ଆବେଦନ କରିବାକୁ ପଡ଼ୁଛି।

ଏହି ସୂଚକାଙ୍କ ଅନୁଯାୟୀ, ସିଙ୍ଗାପୁରର ପାସ୍‌ପୋର୍ଟ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ। ସମ୍ପ୍ରତି ସିଙ୍ଗାପୁରର ନାଗରିକମାନେ ବିନା ଭିଜାରେ ୧୯୩ ଦେଶକୁ ଯାତ୍ରା କରିପାରୁଛନ୍ତି। ଜାପାନ ଏବଂ ଦକ୍ଷିଣ କୋରିଆ ଏହି ସୂଚକାଙ୍କରେ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଭୟ ଦେଶର ଲୋକେ ବିନା ଭିଜାରେ ୧୯୦ ଦେଶକୁ ଭ୍ରମଣ କରିପାରୁଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ଆୟର୍ଲାଣ୍ଡ, ସ୍ପେନ୍‌ ପରି ୟୁରୋପୀୟ ସଂଘର ୭ ଦେଶ ଏହି ସୂଚକାଙ୍କରେ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସବୁ ଦେଶଗୁଡ଼ିକର ଜନସାଧାରଣ ବିନା ଭିଜାରେ ୧୮୯ ଦେଶକୁ ଯାତାୟାତ କରିପାରୁଛନ୍ତି। ଆଫଗାନିସ୍ତାନର ପାସ୍‌ପୋର୍ଟ ସବୁଠାରୁ ଦୁର୍ବଳ ହୋଇଥିବା ଏହି ରିପୋର୍ଟ କହିଛି। ଆଫଗାନିସ୍ତାନର ନାଗରିକମାନେ ବିନା ଭିଜାରେ ସମ୍ପ୍ରତି କେବଳ ୨୫ ଦେଶକୁ ଭ୍ରମଣ କରିପାରୁଛନ୍ତି। ତେବେ ଆମେରିକା ଏବଂ ବ୍ରିଟେନ୍‌ର ପାସ୍‌ପୋର୍ଟ ସାମାନ୍ୟ ଦୁର୍ବଳ ହୋଇଥିବା ଏହି ରିପୋର୍ଟ କହିଛି।

Advertisement

ଏକଦା ଶକ୍ତିଶାଳୀ ପାସ୍‌ପୋର୍ଟ ଭାବେ ପରିଚିତ ଥିବା ଆମେରିକା ଏବଂ ବ୍ରିଟେନ୍‌ ଏହି ସୂଚକାଙ୍କରେ ଯଥାକ୍ରମେ ୧୦ମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି। ବ୍ରିଟେନ୍‌ର ଜନସାଧାରଣ ବିନା ଭିଜାରେ ୧୮୬ ଦେଶ ଏବଂ ଆମେରିକାର ଜନସାଧାରଣ ୧୮୨ ଦେଶ ଭ୍ରମଣ କରିପାରୁଛନ୍ତି। ହେନ୍‌ଲେ ପକ୍ଷରୁ ଜାରି କରାଯାଉଥିବା ସୂଚକାଙ୍କରେ ଗତ ୧୦ ବର୍ଷ ମଧ୍ୟରେ ଆମେରିକା ୮ ସ୍ଥାନ ତଳକୁ ଖସିଥିବା ବେଳେ ବ୍ରିଟେନ୍‌ ୫ ସ୍ଥାନ ତଳକୁ ଖସିଛି। ୧୦ ବର୍ଷ ମଧ୍ୟରେ ଭେନଜୁଆଲାର ପାସପୋର୍ଟ ସର୍ବାଧିକ ୧୫ ସ୍ଥାନ ତଳକୁ ଖସି ସଦ୍ୟ ସୂଚକାଙ୍କରେ ୪୫ତମ ସ୍ଥାନରେ ପହଞ୍ଚିଛି।

Advertisement

Leave a Reply

Your email address will not be published. Required fields are marked *