ଓଡ଼ିଶା ବାଣିଜ୍ୟ

ସାମୁଦ୍ରିକ ବାୟୋଟେକ୍ ଗବେଷଣା ଓ ନବସୃଜନ କରିଡର୍‌ ଆରମ୍ଭ

Advertisement

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଓଡ଼ିଶା ସାମୁଦ୍ରିକ ବାୟୋଟେକ୍ ଗବେଷଣା ଓ ନବସୃଜନ କରିଡର୍‌ (ଓଏମ୍‌ବିଆର୍‌ଆଇସି) ଆରମ୍ଭ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଏହି ଅଭିଯାନ ଓଡ଼ିଶାକୁ ସାମୁଦ୍ରିକ ବାୟୋଟେକ୍‌ର ଏକ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଓସନ୍ ଟେକ୍ନୋଲୋଜି (ଏନ୍‌ଆଇଓଟି) ମଧ୍ୟରେ ଏକ ବୁଝାମଣାପତ୍ର ହୋଇଥିବା ସହ ଗବେଷଣା ଓ ବିକାଶ ସହାୟତା ପ୍ରଦାନ କରିବା ଲାଗି ୬ଟି ଶିକ୍ଷାନୁଷ୍ଠାନ ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଏହା ହେଉଛି ଏକ ସ୍ବତନ୍ତ୍ର ପ୍ଲାଟଫର୍ମ ଯାହା ଆମ ନୀଳ ଅର୍ଥନୀତିରେ ରୂପାନ୍ତରଣ ଆଣିବ ଏବଂ ଜାତୀୟ ଅଭିବୃଦ୍ଧି ପ୍ରତି ଯୋଗଦାନ ଦେବ। ଏହା ଅଧୀନରେ ଯୁବ ଉଦ୍ୟୋଗୀମାନେ ସାମୁଦ୍ରିକ ବାୟୋଟେକ୍ ଷ୍ଟାର୍ଟଅପ୍ ଗଢ଼ିପାରିବେ। ଜିନ୍ ଅନୁସନ୍ଧାନଠାରୁ ବାୟୋଆକ୍ଟିଭ୍ କଣିକା, ବାୟୋରେମେଡିଟେସନ୍ ଓ ନ୍ୟୁଟ୍ରାସ୍ୟୁଟିକାଲ୍ ପର୍ଯ୍ୟନ୍ତ ସାମୁଦ୍ରିକ ବାୟୋଟେକ୍‌ର ସମ୍ପୂର୍ଣ୍ଣ ଶୃଙ୍ଖଳାକୁ ଏଥିରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି। ଏହି କରିଡର୍‌ ପାଇଁ ଆଇଆଇଟି ଭୁବନେଶ୍ବର, ଏନ୍‌ଆଇଟି ରାଉରକେଲା, ଆଇଜର୍ ବ୍ରହ୍ମପୁର, ଆଇଏଲ୍‌ଏସ୍‌ ଭୁବନେଶ୍ବର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଫିକର ମୋହନ ବିଶ୍ବବିଦ୍ୟାଳୟକୁ ହବ୍‌ ଭାବେ ଚୟନ କରାଯାଇଛି। ପ୍ରତିଟି ଶିକ୍ଷାନୁଷ୍ଠାନ ନିର୍ଦ୍ଦିଷ୍ଟ କେତେକ ବିଷୟରେ ଗବେଷଣା କରି ଏହି କରିଡର୍‌ ପ୍ରତି ସହଯୋଗ ପ୍ରଦାନ କରିବେ। ଏଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,  ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ, ଅତିରିକ୍ତ ସଚିବ ପୂଜା ମିଶ୍ର  ଓ ଅନ୍ୟମାନେ ଉପସ୍ଥିତ ଥିଲେ। 

Advertisement
Advertisement

Leave a Reply

Your email address will not be published. Required fields are marked *