ଅନ୍ତର୍ଜାତୀୟ ବାଣିଜ୍ୟ

୫୦ ଦେଶ ସହ ରପ୍ତାନି ବଢ଼ାଇବ ଭାରତ: ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ରଣନୀତି

Advertisement

ନୂଆଦିଲ୍ଲୀ: ଆମେରିକା ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ପାଲଟା ଶୁଳ୍କ ଲଗାଇବା ପରେ ଦେଶର ରପ୍ତାନି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏଭଳି ସମୟରେ ରପ୍ତାନିରେ ସୁଧାର ଆଣିବା ଲାଗି ସରକାର ଏକ ରଣନୀତି ଉପରେ କାମ କରୁଛନ୍ତି। ୫୦ଟି ଦେଶକୁ ଚିହ୍ନଟ କରାଯାଇଛି ଯାହାଙ୍କ ସହ ଦ୍ବିପାକ୍ଷିକ କାରବାର ବଢ଼ାଇବାକୁ ଉଦ୍ୟମ କରାଯିବ। ଏଥିରେ ମଧ୍ୟପ୍ରାଚ୍ୟ ଓ ଆଫ୍ରିକୀୟ ରା‌‌ଷ୍ଟ୍ରଗୁଡ଼ିକ ରହିଛନ୍ତି। ସେହି ଦେଶଗୁଡ଼ିକ ଭାରତ ଏହାର ୯୦ ପ୍ରତିଶତ ସାମଗ୍ରୀ ପଠାଉଛି। ଆମେରିକୀୟ ଶୁଳ୍କ ପ୍ରଭାବକୁ ପ୍ରତିହତ କରିବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟ ଚାରି ସୂତ୍ରୀ ରଣନୀତି ପ୍ରସ୍ତୁତ କରୁଛି। ରପ୍ତାନିରେ ବିବିଧତା ଆଣିବା, ଆମଦାନୀର ବିକଳ୍ପ ବାହାର କରିବା ଏବଂ ରପ୍ତାନିରେ ପ୍ରତିଦ୍ବନ୍ଦ୍ବିତା ବଢ଼ାଇବା ଉପରେ କାମ ହେଉଛି।

ପ୍ରତିଟି ସାମଗ୍ରୀ ପାଇଁ ସ୍ବତନ୍ତ୍ର ରଣନୀତି ତିଆରି କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଟି ଦେଶକୁ ବିଚାରକୁ ନିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେଥିରେ ଆଉ ୩୦ଟି ଦେଶକୁ ମିଶାଯାଇଛି। ବିଶ୍ବସ୍ତରରେ ଶୁଳ୍କ ଅନିଶ୍ଚିତତା କାରଣରୁ ଜୁନ୍‌ରେ ରପ୍ତାନି ୩୫୧୪ କୋଟି ଡଲାରରେ ସ୍ଥିର ରହିଛି। ଏଥି ସହିତ ବାଣିଜ୍ୟ ନିଅଣ୍ଟ ମଧ୍ୟ ୧୮୭୮ କୋଟି ଡଲାର ସ୍ତରକୁ ଖସିଆସିଛି ଯାହା ଚାରି ମାସରେ ସବୁଠୁ କମ୍। ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍ ଅବଧିରେ ରପ୍ତାନି ୧୧,୨୧୭ କୋଟି ଡଲାର ଥିବା ବେଳେ ଆମଦାନୀ ୧୭,୯୪୪ କୋଟି ଡଲାର ରହିଛି।

Advertisement
Advertisement

Leave a Reply

Your email address will not be published. Required fields are marked *