ଜାତୀୟ ରାଜନୀତି

‘ସିଂହ ସବୁବେଳେ ସିଂହ’: ମଦୁରାଇରେ ବିଜୟଙ୍କ ମହାସମାବେଶ, ଏକାଠି ହେଲେ ଦେଢ ଲକ୍ଷ ଲୋକ… ବଦଳିଯିବ କି ରାଜନୀତିର ଚିତ୍ର ?

Advertisement

ଚେନ୍ନାଇ: ବିଶାଳ ଜନସମୁଦ୍ର । ପଡିଆ ସାରା ମାଳମାଳ ମଣିଷ । ଆଖି ଯେତେଯାଏଁ ପାଉଛି ସେତେ ଯାଏଁ ଖାଲି ଲୋକ ହିଁ ଲୋକ । ହୁଏତ ଏହା ଭଲପାଇବାର ଭିଡ଼ ହେଇଥାଇ ପାରେ ଅବା ଜନସମର୍ଥନ ଅବା ହେଇପାରେ ଜଣେ ଅଭିନେତାଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇଁ ସୃଷ୍ଟି ହୋଇଥିବା ଜନସମାଗମ । ନାଁ ଭିନ୍ନ ହୋଇପାରେ ମାତ୍ର ଏହା ଯେ ସେହି ଜଣେ ବ୍ୟକ୍ତିଙ୍କ ପାଇଁ ଗହଳି ତାକୁ କିନ୍ତୁ ଏଡାଇ ଦିଆଯାଇ ନପାରେ । ପଡିଆର ଏମୁଣ୍ଡରୁ ସେମୁଣ୍ଡ… ଲୋକାରଣ୍ୟ, ଆକାଶ ମାର୍ଗରୁ ଦେଖିଲେ ମାଳମାଳ ମୁଣ୍ଡ । ସୋରିଷ ବୁଣିଲେ ବି ତଳେ ପଡିବନି । ସାଧାରଣତ ଏତେ ଭିଡ ଦେଖିଲେ ଆମେ ଓଡିଆମାନେ କହୁ.. ପୂରା ତ ପୁରୀ ରଥଯାତ୍ରା ଆଉ । କିନ୍ତୁ ଗୋଟେ ରାଜନୈତିକ ସମାବେଶରେ ଏକାଥରେ ଯେ ଏତେଲୋକ ଏକାଠି ହୋଇଛନ୍ତି ତାହା କ୍ଷଣିକେ ପାଇଁ ବିଶ୍ବାସ କରି ହେଉନଥିଲେ ବି ଏହା ସତ…

ହଁ ଆଜ୍ଞା ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ବିଶାଳ ରାଜନୈତିକ ସମାବେଶରେ ଲହଡି ଭାଙ୍ଗିଥିଲା ଜନତାଙ୍କ ଭଲପାଇବା ଓ ସମର୍ଥନ । ଯାହା ସୂଚାଇ ଦେଉଥିଲା ଅଭିନେତାରୁ ନେତା ବନିବାକୁ ଚେଷ୍ଟା କରୁଥିବା ବିଜୟଙ୍କୁ କେବେ ଭଲପାଆନ୍ତି ଲୋକେ । ତାଙ୍କୁ କେତେ ସମର୍ଥନ କରନ୍ତି ଜନତା । ବିରାଟ ଜନସଭା… ତାରି ମଝିରେ ଗୋଟେ ଲମ୍ବା ରାସ୍ତା । ହଳଦିଆ-ନାଲି କପଡାରେ ବନ୍ଧା ହୋଇଥିବା ଲମ୍ବା ରାସ୍ତା ଜନସମୁଦ୍ର ମଝିରେ ସେତୁ ଭଳି ଦୃଶ୍ୟମାନ ହେଉଥିଲା । ଆଉ ତାରି ଉପରେ ବିଜୟ ଚାଲି ଚାଲି ଯାଉଥିଲେ । ଏହି ସେତୁ ହିଁ ବିଜୟ ଏବଂ ଜନତାଙ୍କ ମଝିରେ ସୁନ୍ଦର ସେତୁ ବୋଲି କୁହାଯାଉଥିବା ବେଳେ ବିଜୟ ହାତ ହଲାଇ ସମସ୍ତଙ୍କୁ ସମ୍ବୋଧନ କରୁଥିଲେ । ପୂରା ସାଧାରଣ ଢଙ୍ଗରେ କେତେବେଳେ ବେକରେ ଦଳୀୟ ଉତ୍ତରୀୟ ପକାଇ ଦେଉଥିଲେ ତ ପୁଣି କେବେ ମୁଣ୍ଡରେ ବାନ୍ଧିପକାଉଥିଲେ । ଲୋକଙ୍କୁ ଦେଖି ଦେଖି ପୁଣି କେବେ ହଲି ହଲି ଧାଇଁ ଯାଉଥିଲେ । ଆପଣ ଯଦି ତାଙ୍କ ଭିଡିଓକୁ ଭଲରେ ଟିକେ ଅନୁଧ୍ଯାନ କରିବେ ତେବେ ବିଜୟଙ୍କ ମନରେ ନା ଅଭିନେତା ହେବାର ଅହଙ୍କାର ନା ନେତା ହେବାର ଅହଙ୍କାର ଦେଖିବାକୁ ପାଇବେ । ଅଭିନେତା ଭାବେ ପରିପକ୍ବ ଏବଂ ନେତା ଭାବେ ଅତି ଉତ୍ସୁକତା ଥିଲା ତାଙ୍କ ଅଙ୍ଗଭଙ୍ଗୀରେ ଯାହା ଲୋକଙ୍କୁ ଅତି ଆକର୍ଷିତ କରିଥିଲେ । ପ୍ରଶଂସକମାନେ ଭିଡ ଭାଙ୍ଗି କେତେବେଳେ ତାଙ୍କ ପାଖକୁ ଧାଇଁ ଆସୁଥିଲେ ତ ପୁଣି କେତେବେଳେ ନିଜେ ବିଜୟ ବେକରୁ ମାଳ ଖୋଲି ପ୍ରଶଂସକଙ୍କ ଭିତରକୁ ଫିଙ୍ଗି ଦେଉଥିଲେ ସେମାନଙ୍କ ଭଲପାଇବା ଦେଖି… ଭଲପାଇବାର ଭିଡ ଭିତରେ ବିଜୟ ମଞ୍ଚରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା ।

Advertisement

ମଦୁରାଇରେ ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ନେଇ ମହାସମାଗମ କରିଥିବା ବିଜୟ ଖାଲି ତାମିଲନାଡ଼ୁ ନୁହେଁ ବରଂ ପୂରା ଦେଶକୁ ଦୋହଲାଇ ଦେଇଥିବା ଚର୍ଚ୍ଚା ହେଉଛି । ବିଜୟଙ୍କ ପ୍ରତି ଏତେ ସଂଖ୍ଯାରେ ଜନସମର୍ଥନ ଦିଲ୍ଲୀର ବିଭିନ୍ନ ରାଜନୈତିକ ଦଳରେ ଚର୍ଚ୍ଚା ହୋଇଥିବା ଶୁଣାଯାଉଛି । ତାସହ ବଡ ବଡ ରାଜନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କେଉଁ ବଡ ବଡ଼ ମନ୍ତ୍ରୀ କି ନେତାଙ୍କ ପାଇଁ କେବେ ଏତେ ସମର୍ଥନ ବୋଧହୁଏ ଏକାଥରେ ଦେଖିନି ଏ ଦେଶ । ତେଣୁ ବିଜୟଙ୍କ ବିଶାଳ ଜନସାବେଶ ଖାଲି ତାମିଲନାଡୁ ରାଜନୀତିରେ ନୁହେଁ ବରଂ ଭାରତୀୟ ରାଜନୀତିରେ ଏକ ବଡ଼ ହଲଚଲ ଆଗାମୀ ଦିନରେ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏବଂ ବିଜୟଙ୍କ ପ୍ରତି ଏ ସମର୍ଥନ ତାମିଲନାଡୁ ନିର୍ବାଚନରେ ଏକ ବଡ ଫ୍ୟାକ୍ଟର ସାଜିପାରେ ।

କୁହାଯାଉଛି ଟିଭିକେର ୨ୟ ରାଜସ୍ତରୀୟ ସମାବେଶ ଆଗାମୀ ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଦୃଶ୍ୟପଟ୍ଟ ବଦଳାଇ ଦେଇପାରେ । ଅଭିନେତାରୁ ନେତା ବନିଥିବା ବିଜୟଙ୍କ ପ୍ରତି ଏ ପ୍ରଚୁର ଭଲପାଇବା ହୁଏତ ସତ୍ତାରେ ଥିବା ଷ୍ଟାଲିନ ଏବଂ ବିଜେପି ପାଇଁ କାଳ ହେଇପାରେ ଏବଂ ନିର୍ବାଚନରେ ଝଟକା ଦେଇପାରେ । ଜନସମାବେଶକୁ ସମ୍ବୋଧନ କରି ବିଜୟ କହିଛନ୍ତି- ଟିଭିକେ ଆଗାମୀ ଦିନରେ ଶାସକ ଡିଏମକେ ଏବଂ ବିରୋଧୀ ଏଆଇଏଡିଏମକେ ପରେ ରାଜ୍ୟ ପାଇଁ ଏକ ବଡ ବିକଳ୍ପ ହୋଇପାରେ । ଷ୍ଟାଲିନଙ୍କୁ ଅଙ୍କଲ୍ ବୋଲି ସମ୍ବୋଧନ କରି ନାରୀ ସୁରକ୍ଷା ନେଇ ତାଙ୍କୁ ଟାର୍ଗେଟ କରିଥିଲେ । ଆପଣ ସମସ୍ତ ମହିଳାଙ୍କୁ କୁହନ୍ତି ମତେ ଆପ୍ପା (ବାପା) ବୋଲି ଡାକ କିନ୍ତୁ ବାପା ରାଜ୍ୟର ଝିଅଙ୍କୁ ସୁରକ୍ଷା ଦେବାରେ ବିଫଳ । ଜନତାଙ୍କ ସ୍ବର ଶୁଣାଯାଉଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଜୟ । ବିଜେପିକୁ ବିଚାରଧାରାର ଶତ୍ରୁ ଓ ଡିଏମକେକୁ ରାଜନୀତିକ ଶତ୍ରୁ ଭାବେ କହି ମେଣ୍ଟ ସମ୍ଭାବନାକୁ ଅଗ୍ରାହ୍ୟ କରିଥିଲେ ।

ବଡ ବଡ଼ ରାଜନେତାଙ୍କୁ ନିଶାନା କରି ବିଜୟ କହିଛନ୍ତି- ସେମାନେ କହୁଥିଲେ ମୁଁ କେବେ ବି ରାଜନୀତିରେ ପଶିପାରିବିନି କି ସହଯୋଗ ପାଇପାରିବିନି । ଏମିତିକି ମୁଁ ସମାବେଶ ବି କରିପାରିବନି … ଏବେ କହୁଛନ୍ତି ମୁଁ ନିର୍ବାଚନ ବି ଜିତି ପାରିବିନି । କିନ୍ତୁ ଆଜିର ଏ ଜନସମୁଦ୍ର ଏବଂ ମୋ ପ୍ରତି ସମର୍ଥନ ହିଁ କହୁଛି ଏହା ଖାଲି ମୋ ପ୍ରତି ଭଲପାଇବା ନୁହେଁ ବରଂ ଆମେ ରାଜ୍ୟର ଘରେ ଘରେ ପହଞ୍ଚିସାରିଛୁ ।

୨୦୨୬ରେ ନିଜେ ପୂର୍ବ ମଦୁରାଇ ଆସନରୁ ଲଢିବାକୁ ଘୋଷଣା କରିଥିବା ବେଳେ ସବୁ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ବିଜୟ ବଡ଼ ଘୋଷଣା କରିଛନ୍ତି । ଅର୍ଥାତ ମୋଟ ୨୩୪ ଆସନରେ ଟିଭିକେ ନିର୍ବାଚନ ଲଢିବ । ସିଂହ ସବୁବେଳେ ସିଂହ… ଗୁମ୍ଫାରୁ ସିଂହ ଯେବେ ବାହାରକୁ ଆସେ ସେବେ ସେ ଶିକାର ପାଇଁ ଆସେ, ଟାଇମ୍ ପାସ୍ ପାଇଁ ଆସେନି । ସାରା ଜଙ୍ଗଲରେ ପଛେ ଗୋଟେ ସିଂହ ଥାଉ କିନ୍ତୁ ସିଏ ହିଁ ଜଙ୍ଗଲର ରାଜା କହି ଟିଭିକେ ଜନତାଙ୍କ ସେନାବାହିନୀ ବୋଲି କହି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଜୟ ।

Advertisement

Leave a Reply

Your email address will not be published. Required fields are marked *