ଇନ୍ଦୋର: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଗୁରୁବାର ଦିନ ମେଘାଳୟ ବିପକ୍ଷରେ ଧୂଆଁଧାର ଇନିଂସ୍ ଖେଳି ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।
ପଞ୍ଜାବର ଅଧିନାୟକ ଥିବା ଅଭିଷେକ ସୟଦ ମୁସ୍ତାକ ଅଲି ଟ୍ରଫି ମ୍ୟାଚରେ ମାତ୍ର ୨୮ ବଲରେ ଶତକ ହାସଲ କରି ଭାରତ ପାଇଁ ମିଳିତ ଭାବେ ଦ୍ରୁତତମ ଟି-୨୦ ଶତକ ହାସଲ କରିଥିଲେ। ଅଭିଷେକଙ୍କ ୧୧ ଟି ଛକା ବିଶିଷ୍ଟ ବିସ୍ଫୋରକ ଇନିଂସ ଯୋଗୁ ପଞ୍ଜାବ ୧୦ ଓଭରରେ ୧୪୩ ରନ୍ ଲକ୍ଷ୍ୟ ହାସଲ କରିଛି।
ଏହି ପ୍ରଦର୍ଶନ ଦ୍ବାରା ଟୁର୍ନାମେଣ୍ଟରେ ତାଙ୍କର ହାରାହାରି ବୃଦ୍ଧି ହୋଇଛି। ଗୁରୁବାର ମ୍ୟାଚ୍ ପୂର୍ବରୁ ସେ ୬ଟି ଇନିଂସରେ ୧୪୯ ରନ୍ ସଂଗ୍ରହ କରିଥିଲେ। ସେଥି ମଧ୍ୟରୁ ସେ କେବଳ ଥରେ ପଚାଶ ସ୍କୋର୍ କରିବାରେ ସଫଳ ହୋଇଥିଲେ। ଗୁଜରାଟର ଉର୍ଭିଲ ପଟେଲ ଏହି ଟୁର୍ନାମେଣ୍ଟରେ ତ୍ରିପୁରା ବିପକ୍ଷରେ ୨୮ ଟି ବଲରେ ଶତକ ହାସଲ କରି ଏକ ରେକର୍ଡ ସୃଷ୍ଟି କରିଥିଲେ। ଯାହା ଭାରତ ପାଇଁ ଟି-୨୦ କ୍ରିକେଟରେ ଦ୍ରୁତତମ ଶତକ ଥିଲା।
ଏଠାରେ ସେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଥିଲେ। ଋଷଭ ୨୦୧୮ରେ ହିମାଚଳ ପ୍ରଦେଶ ବିପକ୍ଷରେ ୩୨ ବଲରେ ଶତକ ହାସଲ କରିଥିଲେ।
ଟି-୨୦ କ୍ରିକେଟରେ ଦ୍ରୁତତମ ଶତକର ରେକର୍ଡ ଇଷ୍ଟୋନିଆର ସାହିଲ ଚୌହାନଙ୍କ ନାମରେ ଅଛ। ସେ ସାଇପ୍ରସ ବିପକ୍ଷରେ ମାତ୍ର ୨୭ଟି ବଲରେ ଶତକ ହାସଲ କରିଥିଲେ।
ସୟଦ ମୁସ୍ତାକ ଅଲି ଟ୍ରଫିରେ ଏହା ଅଭିଷେକଙ୍କ ଚତୁର୍ଥ ଶତକ। ଏହା ସହିତ ସେ ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ଟି-୨୦ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି। ସେ ୨୯ ବଲରେ ଅପରାଜିତ ୧୦୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୮ ଚୌକା ଓ ୧୧ ଛକା ଥିଲା।
ଅଭିଷେକ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଲେଣ୍ଡର ବର୍ଷରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ଟି-୨୦ ଛକା ମାରିବାର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି। ୨୦୨୨ ମସିହାରେ ୪୧ ଇନିଂସରେ ସୂର୍ଯ୍ୟକୁମାର ୮୫ ଛକା ମାରିଥିଲେ ଏବଂ ଅଭିଷେକ ଚଳିତ ବର୍ଷ ମାତ୍ର ୩୮ ଇନିଂସରେ ୮୬ ଛକା ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗି ଏହି ସଫଳତା ହାସଲ କରିଛନ୍ତି।

