ଅପରାଧ ଓଡ଼ିଶା

ଚୋରି ସନ୍ଦେହରେ ୪ଜଣଙ୍କୁ ବାନ୍ଧି ନିସ୍ତୁକ ପିଟିଲେ: ଜଣେ ମୃତ, ୩ ଗୁରୁତର

Advertisement

ବସ୍ତା-୨/ରୂପ୍‌ସା: ଏକ ଲୁଗା ଦୋକାନରୁ ଚୋରି ସନ୍ଦେହରେ ୪ଜଣଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଲୁହାରଡ୍‌ରେ ନିସ୍ତୁକ ପିଟିଲେ।  ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁରେ ଘଟିଛି ଏଭଳି ଅମା‌ନୁଷିକ କାଣ୍ଡ। ପୁଲିସ ଏହି ଘଟଣାରେ ଦୋକାନ ମାଲିକ ଅଜୟ ଦାସ ଓ ତାଙ୍କ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି। ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁ’ର ଅଜୟ ଦାସଙ୍କ ଏକ ଲୁଗା ଦୋକାନ ରହିଛି। କିଛିଦିନ ପୂର୍ବେ ତାଙ୍କ ଦୋକାନର ତାଲା ଭାଙ୍ଗି ଲୁଗା ଓ ଟଙ୍କା ଚୋରି ହୋଇଥିଲା। ଆଜି ସକାଳେ ଅଜୟ ନିଜ ପରିବାର ସଦସ୍ୟ, ସଂପର୍କୀୟ ଓ କିଛି ଗାଁ ଲୋକଙ୍କ ସହ ଯାଇ ସାର୍ଥା ଗାଁର ୪ ଜଣ ଯୁବକ ତ୍ରିଲୋଚନ ପ୍ରଧାନ (୩୨), ସତୀଶ ସିଂ (୩୫), ତପୁଆ ମହାନ୍ତି (୩୨) ଓ ତପନ ପ୍ରଧାନ (୧୯)ଙ୍କୁ ଚୋର ସନ୍ଦେହରେ ଧରି ଆଣି ଓଡ଼ିଶାଳ ଛକର ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଲୁହାରଡ୍‌ରେ ନିର୍ଘାତ ମାଡ଼ ମାରିଥିଲେ।

ଜଣେ ମୃତ, ୩ ଗୁରୁତର
ଗାଁରେ ଉତ୍ତେଜନା, ପଇଁତରା ମାରୁଛି ପୁଲିସ

Advertisement

ଫଳରେ ତ୍ରିଲୋଚନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସତୀଶ, ତପୁଆ ଓ ତପନ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତ୍ରିଲୋଚନଙ୍କୁ ସିଂଲା ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ସତୀଶ, ତପୁଆ ଓ ତପନଙ୍କୁ ‌ସେମାନଙ୍କ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନେଇଥିଲେ। ସେମାନଙ୍କର ଚିକିତ୍ସା ଚାଲିଛି। ଦୋକାନୀ ଅଜୟ ଚୋରି ସଂପର୍କରେ ସିଂଲା ଥାନାରେ ଏତଲା ଦେଇଥିବା ବେଳେ ମୃତ ତ୍ରିଲୋଚନଙ୍କ ପରିବାର ଲୋକ ଅଜୟ ଓ ତାଙ୍କ ସହଯୋଗୀଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସିଂଲା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସିଂଲା ଥାନା ଅଧିକାରୀ ଭୁବନମୋହନ ସେଠୀ, ବଢ଼ାଣ ଫାଣ୍ଡି ଅଧିକାରୀ ସୁରେଶ ମହାଳିକ, ସାର୍ଥା ଗ୍ରାମର ପୁଲିସ ମିତ୍ର ପ୍ରଶାନ୍ତ ଆର୍ଯ୍ୟଙ୍କ ସମେତ ପୁଲିସ ଫୋର୍ସ ଗାଁରେ ପଇଁତରା ମାରୁଛନ୍ତି।

Advertisement

Leave a Reply

Your email address will not be published. Required fields are marked *