ଜାତୀୟ ରାଜନୀତି

ସୁପ୍ରିମ୍‌କୋର୍ଟରେ ବିହାର ଇସିଙ୍କ ସତ୍ୟପାଠ: ବିନା ନୋଟିସ୍‌ରେ କୌଣସି ଭୋଟରଙ୍କ ନାମ ହଟିବନି

Advertisement

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍) ସମ୍ପର୍କରେ ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିସନ କହିଛନ୍ତି ବିନା ଆଗୁଆ ନୋଟିସ୍‌ ଏବଂ ଶୁଣାଣି ସୁଯୋଗ ବିନା କୌଣସି ଭୋଟରଙ୍କ ନାମ ତାଲିକାରୁ ହଟାଯିବ ନାହିଁ। ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀମାନେ ଅଦାଲତଙ୍କୁ ବିଭ୍ରାନ୍ତ କରିବାକୁ ଲଗାତାର ଚେଷ୍ଟା କରୁଛନ୍ତି ବୋଲି ଆୟୋଗ ଅଭିଯୋଗ କରିଛନ୍ତି। ସେମାନଙ୍କର ଏଭଳି ଷଡ୍‌ଯନ୍ତ୍ରପୂର୍ଣ୍ଣ ପ୍ରୟାସକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତଙ୍କୁ କମିସନ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ପ୍ରାକୃତିକ ନ୍ୟାୟ ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନ ପ୍ରତିଶ୍ରୁତି ଦେଇଛନ୍ତି।

୨୦୨୫ ଅଗଷ୍ଟ ପହିଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରୁ କୌଣସି ମତଦାତାଙ୍କ ନାମ ହଟାଇବା ପୂର୍ବରୁ ପର୍ଯ୍ୟାପ୍ତ ଆଧାର ଉପରେ ଗୁରୁତ୍ବ ଦିଆଯିବ। ସବୁକିଛି ଯାଞ୍ଚ ଓ ଶୁଣାଣି ପରେ ହିଁ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏ ବାବଦ ଆଦେଶ ପ୍ରଦାନ କରାଯିବ ବୋଲି କମିସନ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବେଆଇନ ବୋଲି ଦର୍ଶାଇଛନ୍ତି। ମନମୁଖି ଭାବେ ଦସ୍ତାବିଜ ଦାବି କରି କମିସନ ଲକ୍ଷ ଲକ୍ଷ ପ୍ରକୃତ ଭୋଟରଙ୍କୁ ବଞ୍ଚିତ କରୁଛନ୍ତି ବୋଲି ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଏହି ପ୍ରକ୍ରିୟାକୁ ‘ଭୋଟ୍ ଚୋରି’ ବୋଲି କହି ଏହା ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି।

Advertisement

ମିଥ୍ୟା ବିବରଣୀ ପ୍ରଚାର କରି ଅଦାଲତଙ୍କୁ ବିଭ୍ରାନ୍ତ କରାଯାଉଛି

ତେବେ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ିବେ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟଙ୍କୁ ଆଶ୍ବସ୍ତ କରିଛନ୍ତି। ଏପରିକି ଯଦି କୌଣସି ସମ୍ବେଦନଶୀଳ ଭୋଟରଙ୍କ ପାଖରେ ବର୍ତ୍ତମାନ କୌଣସି କାଗଜପତ୍ର ନାହିଁ, ସେ କ୍ଷେତ୍ରରେ ତାଙ୍କୁ ଆବଶ୍ୟକ ଦସ୍ତାବିଜ ହାସଲ ପ୍ରକ୍ରିୟାରେ ସୁବିଧା ଯୋଗାଇ ଦିଆଯିବ ବୋଲି କମିସନ କହିଛନ୍ତି। ବିହାରରେ ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୭.୨୪ କୋଟିରୁ ଅଧିକ ସେମାନଙ୍କ ଗଣନା ଫର୍ମ ଦାଖଲ କରିଛନ୍ତି ବୋଲି କମିସନ ତଥ୍ୟ ରଖିଛନ୍ତି।

ଅଗଷ୍ଟ ପହିଲାରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଡ୍ରାଫ୍ଟ ରୋଲ୍‌ର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପାଇଁ ଅନଲାଇନ୍ ସୁବିଧା ସହିତ ରାଜନୈତିକ ଦଳଗୁଡ଼ିକୁ ମୁଦ୍ରିତ ଓ ଡିଜିଟାଲ କପି ଯୋଗାଇ ଦିଆଯାଇଛି। ବିହାରରେ ଯେପରି କୌଣସି ଯୋଗ୍ୟ ଭୋଟର ପଛରେ ନ ପଡ଼ିବେ ସେଥିପାଇଁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସଚେତନତା ଅଭିଯାନ, ବୈଠକ ଓ ଅନ୍ୟ କାର୍ଯ୍ୟକ୍ରମ ଜାରି ରହିଛି। କୌଣସି ଅସ୍ଥାୟୀ ପ୍ରବାସୀଙ୍କୁ ଯେଭଳି ବାଦ୍ ନ ଦିଆଯାଏ ସେଥିପାଇଁ ୨୪୬ଟି ଖବରକାଗଜରେ ହିନ୍ଦୀରେ ବିଜ୍ଞାପନ ପ୍ରକାଶ ପାଇଛି। କୌଣସି ସହରାଞ୍ଚଳ ଭୋଟର ଯେପରି ବାଦ୍ ନ ପଡ଼ିବେ ସେଥିପାଇଁ ସ୍ବତନ୍ତ୍ର ସହରାଞ୍ଚଳ ଶିବିର ଆୟୋଜନ କରାଯାଇଛି ବୋଲି ଆୟୋଗ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି। ଏଭଳି ସ୍ଥିତିରେ କିଛି ରାଜନୈତିକ ଦଳ ଜାଣିଶୁଣି ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରି ଅଦାଲତଙ୍କ ଦ୍ବାରସ୍ଥ ହେଉଥିବାରୁ ସେମାନଙ୍କଠାରୁ ବଡ଼ଧରଣର ଜରିମାନା ଆଦାୟ କରାଯାଉ ବୋଲି ନିର୍ବାଚନ କମିସନ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *