ଅପରାଧ ଓଡ଼ିଶା

ବିଗୁଡ଼ୁଛି ଆଇନଶୃଙ୍ଖଳା: ସରକାରୀ ଅଫିସ୍‌ରେ ପଶି ଲୁଟିଲେ, ବନ୍ଧୁକ, ଭୁଜାଲି ଦେଖାଇ ମହିଳା ଆର୍‌ଆଇଙ୍କ ଗହଣା ନେଇଗଲେ

Advertisement

କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଦିନ ଦ୍ୱିପ୍ରହରରେ ସରକାରୀ କାର୍ଯ୍ୟାଳୟରେ ପଶି ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍‌ତରାଜ କରିଛନ୍ତି। ଦୁର୍ବୃତ୍ତମାନେ ଭୁଜାଲି ଓ ବନ୍ଧୁକ ଦେଖାଇ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ)ଙ୍କ କାର୍ଯ୍ୟାଳୟର ଜଣେ ମହିଳା ଅଧିକାରୀଙ୍କଠାରୁ ସୁନାଗହଣା, ମୋବାଇଲ ଓ ସ୍କୁଟି ଚାବିକାଠି ନେଇ ପଳାଇଛନ୍ତି। ମୟୂରଭଞ୍ଜଜିଲ୍ଲା କରଞ୍ଜିଆ ବ୍ଲକ୍‌ର ପାଟବିଲରେ ଏହି ଘଟଣା ଘଟିଛି। ସରକାରୀ କାର୍ଯ୍ୟାଳୟରେ ପଶି ଏଭଳି ଲୁଟ୍‌ ଘଟଣା ଆଇନଶୃଙ୍ଖଳା ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। 

ସୂଚନା ଅନୁସାରେ, କରଞ୍ଜିଆ ବ୍ଲକ୍‌ ପାଟବିଲ ପଞ୍ଚାୟତର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆଜି ଦିନ ପ୍ରାୟ ୧୨ଟା ସମୟରେ ଦୁଇଜଣ ଲୋକ ଆସିଥିଲେ। ରାଜସ୍ବ ନିରୀକ୍ଷକ ନିରୁପମା ନାଏକ ସେହି ସମୟରେ ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏଣୁ ତେଣୁ ପଚାରି ବୁଝିବା ପରେ ସେମାନେ ଚାଲିଯାଇଥିଲେ। ପରେ ପୁନର୍ବାର ଦୁଇଜଣ ଲୋକ ମୁଖା ପିନ୍ଧି କାର୍ଯ୍ୟାଳୟ ଭିତରେ ପଶିଥିଲେ। ଆର୍‌ଆଇ ନିରୁପମାଙ୍କୁ ଭୁଜାଲି ଓ ପିସ୍ତଲ ଦେଖାଇ ତାଙ୍କଠାରୁ ସୁନାହାର, କାନଫୁଲ, ମୋବାଇଲ୍‌ ଓ ସ୍କୁଟି ଚାବିକାଠି ଲୁଟି ଚମ୍ପଟ ମାରିଥିଲେ। 

Advertisement

ଆର୍‌ଆଇ ନିରୁପମା ଉପାୟଶୂନ୍ୟ ହୋଇ  ନିକଟସ୍ଥ ଛକକୁ ଆସି ଜଣେ ଲୋକଙ୍କୁ ମୋବାଇଲ୍‌ ମାଗି ତହସିଲଦାରଙ୍କୁ ଫୋନ୍‌ କରିବା ସହିତ ଘଟଣା ସମ୍ପର୍କରେ ଜଣାଇଥିଲେ। କରଞ୍ଜିଆ ଭାରପ୍ରାପ୍ତ ତହସିଲଦାର ବେଦବ୍ୟାସ ଭୋଇ, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ସଙ୍ଗେସଙ୍ଗେ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ପରେ କରଞ୍ଜିଆ ଥାନାକୁ ଯାଇ ଏତଲା ଦେଇଥିଲେ। ଏତଲା ପାଇବା ପରେ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ସବ୍‌ଇନ୍ସପେକ୍ଟର ବଳରାମ ମହାରଣା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଥାନାରେ କେସ ନମ୍ବର ୩୬/୨୫ରେ ମାମଲା ରୁଜୁ ହୋଇଛି। ତେବେ, ଖବର ଲେଖାହେବା ସୁଦ୍ଧା ଦୁର୍ବୃତ୍ତଙ୍କୁ ପୁଲିସ ଧରିବାରେ ସଫଳ ହୋଇନାହିଁ।

Advertisement

Leave a Reply

Your email address will not be published. Required fields are marked *