ଓଡ଼ିଶା

ବଜ୍ରପାତ ନେଲା ଆଉ ୭ ଜୀବନ: ୨ ଦିନରେ ଗଲାଣି ୧୭ ପ୍ରାଣ, ଅଧିକାଂଶ ମୃତ୍ୟୁ ଚାଷଜମିରେ

Advertisement

ଭୁବନେଶ୍ବର: ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ଆଉ ୭ ଜଣଙ୍କର ଜୀବନ ଯାଇଛି। ଗତ ଦୁଇ ଦିନ‌ରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ୧୭ ଛୁଇଁଛି। ଅଧିକାଂଶ ମୃତ୍ୟୁ ଚାଷଜମିରେ ହୋଇଥିବା ବେଳେ ଏହାକୁ ନେଇ କୃଷିଜୀବୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଆଜି ପ୍ରାଣ ହରାଇଥିବା ମୃତକମାନେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ରହିଛନ୍ତି।

ରବିବାର ପଟ୍ଟାମୁଣ୍ଡାଇରେ ୨ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ୍‌ ବିଲିକଣା ପଞ୍ଚାୟତ ବଡ଼ଗରା ଗ୍ରାମର ରାଜକିଶୋର ପ୍ରଧାନ (୬୫) ଓ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମର ବିଜୟ ମଳିକ (୫୫)। ରାଜକିଶୋର ଆଜି ସକାଳେ ବିଲରେ କାମ କରୁଥିବା ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମର ବିଜୟ ଜମିରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ବାବୁପାଲି ପଞ୍ଚାୟତ ତିଲେଇମାଲ ଗାଁର କୃଷି ଶ୍ରମିକ ହିମାଂଶୁ ମହାନନ୍ଦ (୫୨) ବଜ୍ରପାତରେ ଆଖି ବୁଜିଛନ୍ତି।

Advertisement

ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ନଟାପଡ଼ା ପଞ୍ଚାୟତ ୱାଦା ଲାଖବିନ୍ଧା ସାହିର ହରିଶ ମଳିକ (୧୮) ଓ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ନେରଡ଼ା ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କ ବଡ଼ପୁଅ ସୁଜିତ (୩୫) ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଉଭୟ ଚାଷଜମିରେ ଧାନରୁଆ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ବ୍ଲକ୍‌ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଦ୍ବୟ ଧର୍ମଶାଳା ବ୍ଲକ୍‌ ଭବାନୀପୁର ପଞ୍ଚାୟତ ଭୁବନ (ପଣ୍ତା ସାହି) ଗ୍ରାମର ଚାଷୀ ରମାକାନ୍ତ ସାହୁ (୪୫) ଓ କୋରେଇ ବ୍ଲକ୍‌ ଧନେଶ୍ବର ପଞ୍ଚାୟତ ଆଲଡ଼ା ଜଳସରପୁର ଗ୍ରାମର ଫକିର ମଲିକଙ୍କ ପୁଅ ରାଜେନ୍ଦ୍ର (୨୬)। ଦୁହେଁ ଧାନବିଲରେ କାମ କରିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *