ନୂଆଦିଲ୍ଲୀ,୨୭।୭: ନୂଆଦିଲ୍ଲୀ,୨୫।୭: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଏହାର କର୍ମଚାରୀ ଜମା ଲିଙ୍କଡ ବୀମା ଯୋଜନା (ଇଡିଏଲ୍ଆଇ) ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନଗୁଡ଼ିକ ବିଶେଷ କରି ସେହି ପରିବାରମାନଙ୍କ ପାଇଁ ଆଶ୍ୱସ୍ତିକର ହେବ, ଯାହାଙ୍କ ରୋଜଗାରକାରୀ ସଦସ୍ୟଙ୍କର ଚାକିରି ସମୟରେ ମୃତ୍ୟୁ ହୋଇଥାଏ। ଏବେ ଏହି ଯୋଜନାରୁ ଲାଭ ପାଇବା ପୂର୍ବାପେକ୍ଷା ଅଧିକ ସହଜ ହୋଇଛି।
ଏବେ ଯଦି ଜଣେ କର୍ମଚାରୀଙ୍କର ଚାକିରି ସମୟରେ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ନ୍ୟୂନତମ ୫୦,୦୦୦ ଟଙ୍କାର ବୀମା ଲାଭ ମିଳିବ। ପୂର୍ବରୁ ଏହା ପାଇଁ କର୍ମଚାରୀଙ୍କ ପିଏଫ୍ ଆକାଉଣ୍ଟରେ ୫୦,୦୦୦ ଟଙ୍କା ଜମା ଥିବା ଆବଶ୍ୟକ ଥିଲା। କିନ୍ତୁ ଏବେ ଏହି ସର୍ତ୍ତକୁ ହଟାଇ ଦିଆଯାଇଛି।
ପୂର୍ବରୁ ଦୁଇଟି ଚାକିରି ମଧ୍ୟରେ ଗ୍ୟାପ୍ ହେଲେ ବୀମା ଦାବିରେ ଅସୁବିଧା ହେଉଥିଲା। ନୂଆ ନିୟମ ଅନୁସାରେ, ଯଦି ଦୁଇଟି ଚାକିରି ମଧ୍ୟରେ ୬୦ ଦିନ ପର୍ଯ୍ୟନ୍ତ ଗ୍ୟାପ୍ ରହୁଛି, ତାହାକୁ ଚାକିରିରେ ବାଧା ବୋଲି ଗଣନା କରାଯିବ ନାହିଁ। ଅର୍ଥାତ ସେହି କର୍ମଚାରୀଙ୍କୁ ଇଡିଏଲ୍ଆଇର ପୂର୍ଣ୍ଣ ଲାଭ ମିଳିବ। ଯଦି ଜଣେ କର୍ମଚାରୀଙ୍କର ଶେଷ ଦରମା ମିଳିବାର ୬ ମାସ ମଧ୍ୟରେ ମୃତ୍ୟୁ ହୁଏ, ତେବେ ମଧ୍ୟ ତାଙ୍କର ନୋମିନି ବୀମା ରାଶି ଦାବି କରିପାରିବେ।
ଇଡିଏଲ୍ଆଇ ଯୋଜନା କ’ଣ?
ଇଡିଏଲଆଇ ହେଉଛି ଇପିଏଫ୍ଓର ଏକ ବୀମା ଯୋଜନା, ଯାହା ଚାକିରି ସମୟରେ କୌଣସି କର୍ମଚାରୀଙ୍କର ଅପ୍ରତ୍ୟାଶିତ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହେଇଛି। ଏହି ଯୋଜନାରେ କର୍ମଚାରୀଙ୍କୁ ନିଜ ପକେଟରୁ କୌଣସି ଅର୍ଥ ଦେବାକୁ ପଡ଼େ ନାହିଁ। ମୃତ୍ୟୁ ପରେ ପରିବାରକୁ ୨.୫ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ରାଶି ପ୍ରଦାନ କରାଯାଏ। ଏବେ ଏହି ପରିବର୍ତ୍ତନ ଦ୍ୱାରା କର୍ମଚାରୀ ଓ ତାଙ୍କ ପରାର ପରିବାରଙ୍କୁ ଅଧିକ ସୁରକ୍ଷା ମିଳିବ।

